Unknown

 

 

 

 

 

 

 

 

 

ରସ-ରତ୍ନାକର

ସ୍ୱଭାବକବି ଗଂଗାଧର ମେହେର

 

 

ପ୍ରଥମ ଛାନ୍ଦ

(ରାଗ-କଳସା)

 

ରଘୁନାଥ ରାଜୀବଲୋଚନ ମନୋହର,

ରସାସୁତା –ହୃଦୟ-ଚକୋର-ସୁଧାକର ।

ରତିପତି-ଜିତ ଛବି ଶ୍ୟମଳ –ସୁନ୍ଦର,

ରମଣୀୟ ଦିଶେବେନି ଭୁଜେ ଚାପଶର ।

ରକ୍ଷକୁଳ ନିର୍ମୂଳ-କାରଣେ ଅବତାର

ରକ୍ଷାକଲେ ବିଭୀଷଣେ ବଧି ଲଙ୍କେଶ୍ୱର ।

ରଜ ଲଭି ଯହିଁରୁ ଅହଲ୍ୟା ଶାପୁ ପାର,

ରଞ୍ଜନ ଶ୍ରୀଚରଣେ ବନ୍ଦଇ ନିରନ୍ତର ।

ରଚିବାକୁ ଗୀତ ଚିତ୍ତ ବଳିଅଛି ମୋର,

ରମେଶ କରୁଣା କରି ବାଞ୍ଛା ପୂର୍ଣ୍ଣ କର ।

ରଚିବି ପ୍ରବନ୍ଧ ଉଷା- ଅନିରୁଦ୍ଧଙ୍କର

ରସିକ-ହୃଦ-କୁମୁଦେ ହେଉ ଶଶଧର ।

ର-ଥାଇ ଆଦ୍ୟ ପ୍ରାନ୍ତରେ ଭାବ ସୁମଧୁର

ରସଯୁତ ପଦ ହେଉ ବୁଧ –ଚିତ୍ତହର ।

ରଜନୀଚର ଉତ୍ତଂସ ବାଣ ମହାବୀର,

ରସାମଣ୍ଡଳେ ତା’ ବୀରପଣ ସୁପ୍ରଚାର ।

ରତିପତି-ପର-ପରସନ୍ନେ ପାଇ ବର,

ରବି ସଙ୍ଗେ ଉପମିତ ଦଶ ଶତ କର ।

ରକ୍ତପୁର ରାଜଧାନୀ ପ୍ରସିଦ୍ଧ ନଗର,

ରତ୍ନସାନୁ ସହ ରାଜପୁର ପଟାନ୍ତର ।

ରଣ ପାଇଁ ଦିଗ୍‌ବିଜୟ କରି ମହାବୀର,

ରସା- ରସାତିଳ-ନାକ କଲା ସେ ବିହାର ।

ରକ୍ଷରାଜେ କରିବାକୁ ସମ୍ମୁଖ ସମ୍ମର,

ରଥୀ କେହି ଧନୁ ଧରି ନ ହେଲେ ବାହାର ।

ରହିତ କରିବା ପାଇଁ ଭୁଜବ୍ୟଥା ତା’ର

ରସାଧାରେ ପ୍ରହରାନ୍ତେ ହୋଇଯାନ୍ତି ଚୁର ।

ରଣରଙ୍କ ବ୍ରହ୍ମାଣ୍ଡେ ନ ପାଇ ସମ ବୀର,

ରତୀଶ-ପର ନିକଟ ଗମିଲା ସତ୍ୱର ।

ରଚିଲା ବଚନ, ‘ନାଥ ଶୁଣ ସ୍ମର ହର ;

ରଙ୍ଗେ ମୋ ସହସ୍ର କର ପାଇ ତୁମ୍ଭ ବର ।

ରଣ କରିବାକୁ କାହିଁ ନ ପାଇଲି ଶୂର,

ରହିଲା ତ ବ୍ୟଥା ଭୁଜେ, ହେଉ ନାହିଁ ଦୂର ।

ରହିଛ ଏକା ଆପଣ, କରିବୀ ସମର,

ରଭସ ଭୁଜ-ବେଦନା ହେଉ ମୋ ଅନ୍ତର ।

ରଜତଗିରି-ନାୟକ ବିହିଲେ ଉତ୍ତର,

ରହ କିଛି ଦିନ ଲଭିବୁ ପାମର ।

ରଥେ ତୋର ଅଛି ଯେଉଁ ଚିରାଳ ଶେଖର,

ରସାରେ ପଡ଼ିବ ଛିନ୍ନ ହୋଇ ଯେ ବାସର ।

ରଖି ନ ପାରିବୁ ଏହି ସଦର୍ପ ଆଚାର,

ରହିବୁ ଧ୍ରୁବ ପରାୟେ ଛେନ ଦେବ କର ।

ରକ୍ଷ ପିତି ଶୁଣି ପ୍ରତ୍ୟାଗତ ନିଜପୁର,

ରହିଲା ପ୍ରତୀକ୍ଷା କରି ଆସିବାକୁ ପର ।

 

ଦ୍ୱିତୀୟ ଛାନ୍ଦ

(ରାଗ-ଚୋଖି)

 

ରସିକ ବୁଧ ନିକର ରସେ ଚିତ୍ତଦାନ କର

ଉଷା ନାମେ ସୁତା ଥିଲା ବଳି-ସୁତର

ରମଣୀ କୁଳ- ରତନ ଲଭି ନବ ଯଉବନ

ହୋଇଲା ଜନ- ନୟନ-ବନ୍ଦୀ-ମନ୍ଦିର,

ରସବତୀ ଶୋଭାସାଗର

ରଙ୍ଗେ ମନ୍ଥି ଦେଲାଣି କୁଞ୍ଜ-କୁମର ।

ରତ୍ନକୂଟ ପୟୋଧର ତହିଁ ବେଣୀ କାକୋଦର

ମନ୍ଥନ ଭରେ ହେଲାଣି କ୍ରମେ ବାହାର,

ରଜନୀକର ସୁହାସ ପାରିଜାତକ ସୁବାସ

ଗମନ ଅଭ୍ରମୁ-ଈଶ ପୀୟୂଷଗୀର;

ରମା, ରୁଚି ଅତି ରୁଚିର

ରହିଛି ଈଶ ଲବଧେ ବିରହ ଗର ।

ରଙ୍ଗ –ରାଜୀବ-ଅଧରା ଗମନ କରନ୍ତେ ଧରା-

ମଣ୍ଡଳକୁ ମଣ୍ଡିଦିଏ ଚାଳି ପୟର,

ରତୀଶ କମାଣ ଭୂରୁ ଯୁବାଜନ-ଦମ୍ଭଗୁରୁ

ଭୟଦ ଅଞ୍ଜନାଞ୍ଚିତ ନୟନ ଶର;

ରମ୍ଭାଜିତ ଉରୁ ତାହାର,

ରମ୍ଭା ନ୍ୟୁନ ହେବ ଚାହିଁ ଯୋଷିତବର ।

ରଦରାଜି ମୋତିପନ୍ତି ପରାୟେ ଶୋଭା ଦିଶନ୍ତି

ଭୁଜ-ବଲ୍ଲୀ ହେମ-ପୁଷ୍ପମାଳା ପ୍ରକାର,

ରମଣୀୟ ପଦତଳ ପ୍ରବାଳ ସମ ମଞ୍ଜୁଳ

ପଞ୍ଚାନନ ପ୍ରାୟେ କ୍ଷୀଣ କଟି ସୁନ୍ଦର;

ରସନିଧି ରମଣୀବର

ରବଥଜିତ ବଚନ ମୃଦୁ ମଧୁର ।

ରକ୍ଷକୁଳ ମହୀପତି ସୁତାକୁ ଯୌବନବତୀ

ଚାହିଁ ରଖାଇଲା ଅତି ଅଗମ୍ୟ ପୁର,

ରଖାଇ ପ୍ରହରୀଗଣ ପ୍ରଚଣ୍ଡେ ବୋଲେ ବଚନ

ଥିବ ସଦା ସାବଧାନ ଜେମା ଉପର;

ରକ୍ଷ ପକ୍ଷ ନର କିନ୍ନର

ରଣବାସକୁ ନ ଯିବେ ହେଲେ ଈଶ୍ୱର ।

ରସାଳସୀ ନାନା ରଙ୍ଗେ ସହଚରୀଗଣ ସଙ୍ଗେ

ଅନ୍ତଃପୁର ମଧ୍ୟେ ରହି କରେ ବିହାର,

ରବା ବଂଶୀ ସମର୍ଦ୍ଦଳ ବଜାଇ ବାଦ୍ୟ ମଞ୍ଜୁଳ

କେତେବେଳେ ଅକ୍ଷ ଖେଳେ ହୋଇ ତତ୍ପର;

ରସାଭୂଷା ଯୋଷାଶେଖର,

ରଙ୍ଗେ କଉତୁକେ ହରେ ନିଶା-ବାସର

ରମ୍ୟ କୁବେର କାନନ ଜିଣି ବାଣ ଉପବନ

ନନ୍ଦନବନକୁ ନିତି କରେ ଧିକ୍‌କାର

ରସାଳ କ୍ରମୁକ ତାଳ ନାରୀକେଳ ଯେ ତମାଳ

ରାଜି ରାଜି ବିଭାଜିତ ବିଟପି-ବର;

ରମ୍ଭାହଳି ପ୍ରିୟ କେଶର,

ରମେ ଚିତ୍ତ ନନ୍ଦନ କୌଶଳ କର୍ପୂର ।

ରଙ୍ଗଣୀ ନବ ମାଳିକା ମଲ୍ଲୀ ମାଧବୀ ଯୂଥିକା

ବିବିଧ କୁସୁମବତୀ ବଲ୍ଲୀ ସୁନ୍ଦର

ରସଗ୍ରାହୀ ମଧୁକର ବସିଣ ପୁଷ୍ପ ଉପର

ଗୁଣୁ ଗୁଣୁ ସ୍ୱନ କରେ ଅତି ମଧୁର

ରାସାଳ ଫଳରେ ସୁଭାର

ରହନ୍ତି ପାଦପେ ନମ୍ରେ କି ବୁଧ ନର ।

ରବିଙ୍କର କର ଜଳ ନ ଛୁଏଁ ଧରଣୀତଳ

ଘନ କିଶଳୟାବୃତ ଶାଖୀ ନିକର,

ରମ୍ୟ କୁଞ୍ଜ ନିକେତନ ନେ ସ୍ଥାନେ ବିଦ୍ୟମାନ

ଶୁକ ଶରୀ ତହିଁ ଭାଷୁ ଥା’ ନ୍ତି ସୁସ୍ୱର;

ରହେ ମଧ୍ୟେ ସରସୀବର,

ରସାଦେବୀ ଦରପଣ କି ସେ ରୁଚିର ।

ରଞ୍ଜନ ସୁଧା ସୋପାନ ଚାରିଦିଗେ ବିଦ୍ୟମାନ

ପରିପୁର୍ଣ୍ଣ ହୋଇଅଛି ବିମଳ ନୀର,

ରଜତ କମଳ ମାଳ ପ୍ରଫୁଲ୍ଲ ହୋଇ ମଞ୍ଜୁଳ

ଫୁଟିଛି ଅମିତ ଇନ୍ଦୀବର କହ୍ଲାର;

ରୟ ହରି ବାସ ତାଙ୍କର,

ରଜ ସାରଥି କକୁଭେ କରେ ପ୍ରଚାର ।

ରମ୍ଭୋରୁ ତହିଁ ବିହରେ ସରୋବରେ ସ୍ନାନକରେ

ନନ୍ଦନେ କିନ୍ନରୀ ପରି ଶୋଭା ସଞ୍ଚାର,

ରଖିଥାଏ ସୁସଙ୍ଗିନୀ ସଚିବନନ୍ଦନୀ

ଚିତ୍ରଲେଖା ନାମେ ଖ୍ୟାତ ଚତୁରବୀର;

ରଙ୍ଗେ ଜାଣେ ବିଦ୍ୟା ଅପାର

ରଭସେ ବିଚରି ପାରେ ସାରା ସଂସାର ।

 

ତୃତୀୟ ଛାନ୍ଦ

(ରାଗ-ରାମକେରୀ)

 

ରାସବତୀ ଦିନେ ସଙ୍ଗତେ ଘେନି ସଜନୀବାର

ରଙ୍ଗେ ଗଲା ବାମା ଆରାମେ କରିବାକୁ ବିହାର ।

ରସାଳ ମୂଳରେ ମାଧବୀ ଲତା-ମଣ୍ଡପସାର,

ରମଣୀରତନ ବସିଲା ଯାଇ ତହିଁ ଭିତର ।

ରଚିଲେ ସଖୀଏ ବିବିଧ ଫୁଲେ ବେଶ ବାମାର,

ରତି ରହିବ ଅପସରି ଚାହିଁ ସେ ଶୋଭା ତାର ।

ରଚି କେ ଦିବ୍ୟ ମଲ୍ଲୀମାଳ ଗଳେ ଦେଲା ବାମାର,

ରମ୍ୟ କି ସେ କୁଚଶମ୍ଭୁରେ ସ୍ୱଚ୍ଛ ଜାହ୍ନବୀଧାର ।

ରଞ୍ଜିଲା କେ ନେଇ କେତକୀ ଯୋଷା-ଖୋଷା ଉପର,

ରସିକାମଣିର ସେ ଶୋଭା ଚାହିଁ ହୁଏ ବିଚାର ।

ରସନା ପ୍ରସାରି ଆସେ କି ଗଜ-ରିପୁ-କୁମର,

ରଭସ କରିବାକୁ ଗ୍ରାସ ମୁଖ ଅମୃତ କର ।

ରହି କିଛିକ୍ଷଣ ସେଠାରୁ ବାଳା ହେଲା ବାହାର

ରସା ମଣ୍ଡି ଦେଇ ବିହିଲା ଚାରୁପଦ ସଞ୍ଚାର ।

ରଣଝଣ ହୋଇ ଶବଦ ତହିଁ କଲା ନୂପୁର,

ରତିପଥ-ରଥ-ଶବଦ କି ସେ ହେଲା ପ୍ରଚାର ।

ରଖି ପାଶେ ଚିତ୍ରଲେଖାକୁ ଦେଇ ତା’ ଅଂଶେ କର

ରଚି ଗର୍ଭାଳସୀ ବରଟା-ଗତି ଅତି ସୁନ୍ଦର ।

ରଙ୍କୁନେତ୍ରୀ ଉପବନରେ ଭାବେ କଲା ବିହାର

ରମ୍ଭା ଉର୍ବଶୀର ଶୋଭାକୁ ହେଲେ ସେ ପଟାନ୍ତର ।

ରସାଳସେ କରୁଁ ବିହାର ଆସି ଏକ ଭ୍ରମର,

ରମଣୀ ମୁଖରେ ବସନ୍ତେ ଝାଡ଼ି ଭାଷିଲା ଗୀର-

‘‘ରଜଃପୂର୍ଣ୍ଣ-ଫୁଲ୍ଲ-କୁସୁମ ମୁଁ ତ ନୁହେଁ ଭ୍ରମର,

ରସଲୋଭେ ମତେ ବିଅର୍ଥେ କିପାଁ କରୁ ଆତୁର ।

ରସାଇ ସଖୀଏ ବୋଇଲା ‘‘ତୁ ତ ପଦ୍ମିନୀସାର,

ରସାସ୍ୱାଦୀ ଯେବେ ଚୁମ୍ବିଲା ତହିଁ କି ଦୋଷ: ତା’ ର ?’’

ରହିଥିଲା ଆନ ସଜନୀ ପୁଣି କହିଲା ଗୀର,

‘‘ରମ୍ୟ ପୁଷ୍ପବତୀ ସୁବର୍ଣ୍ଣ-ବଲ୍ଲୀ ବାନ୍ଧବୀବର ।’’

ରଙ୍ଗେ କୌତୁକ କୁହାକୁହି ଗଲେ ତଡ଼ାଗ ତୀର,

ରଙ୍ଗ ରାଜୀବ ଘେନି ଶୋଭା ଦିଶେ ବିମଳ ନୀର ।

ରହିଣ ସଲୀଳେ ସଲିଳେ ନାନା ଜାତି ବିବର,

ରବନ୍ତି ସୁସ୍ୱର ଦମ୍ପତ୍ତି-ପ୍ରେମେ ହରଷଭର ।

ରକ୍ଷରାଜସୁତା ତା’ ଦେଖି ହେଲା ଚିତ୍ତବିକାର,

ରତି ପତି ଶର ସନ୍ଧିଲା ପାଇ ସୁ – ଅବସର ।

ରହି ନପାରି ତହିଁ ବାଳା ବାହୁଡ଼ିଲା ମନ୍ଦିର,

ରବି ଏହି କାଳେ ଗମିଲେ ଅନ୍ତ-ନଗ ଶିଖର ।

ରୀଜନୀ ପ୍ରବେଶେ ଉଦିତ ହେଲେ ରଜନୀ –କର,

ରସାମଣ୍ଡଳେ ବିସ୍ତାରିଲେ ନିଜ ଅମୃତ କର ।

ରଣ ରଣ ଯେ ବାଛି ବାଣ ବାଣ ସୁତା ଉପର,

ରଦ କାମୋଡ଼ି ଯୋଖି ଯୋଖି ବିନ୍ଧିଲା ବାରମ୍ବାର ।

ରମଣୀମଣୀ ପଞ୍ଚଶର –ଶରାଘାତେ ଅସ୍ଥିର,

ରଟିଲା ଦୁଖଃ ହର ହର କମ୍ପିଲା ଥରଥର ।

ରଖି ନିକଟେ ଚତ୍ରଲେଖା ସିଦ୍ଧ-ଯୋଗିନୀବର,

ରଦୀ-ରଦନ ପଲ୍ୟଙ୍କରେ ନିଦ୍ରା ଗଲା ତତ୍ପର ।

 

 

ଚତୁର୍ଥ ଛାନ୍ଦ

(ରାଗ-କୌଶଳ)

 

ରତ୍ନାକରେ ରତ୍ନାକର ସୁତାପରି ଶେଯେ ଶୋଭିତ ଯୋଷାବର,

ରଜନୀର ଅର୍ଦ୍ଧ ସମୟେ ଧନୀର

ହୋଇଲା ସ୍ୱପନ ସଞ୍ଚାର,

ରସନିଧାନୀ, ଦେଖିଲା ଅପୂର୍ବ ବ୍ୟାପାର,

ରତିପତିଜିତ ଛବି ମନୋହର

ଆସି ଏକ ନବ କିଶୋର ।

ରଞ୍ଜନ ଶାଣ ଶୋଧିତ ମରକତ ପ୍ରାୟେ କଳେବର ତାହାର,

ରଙ୍ଗେ ଆସି ରାମା-ପଲ୍ୟଙ୍କରେ ବସି କୁଚ ଉପରେ ଦେଲା କର,

ରସନିଧିର, ତରଳାଇ ଦେଲା ଶରୀର ।

ରସେ ରସାଇ ଚାରୁ ହେମ ଗଣ୍ଡରେ

ବିହିଲା ଚୁମ୍ବ ସୁକୁମାର ।

ରଦଦାସରୁ ପୀୟୂଷ ଜୂର କରି ଗାଢ଼େ ଭିଡ଼ି ଦେଲା ଚତୁର,

ରସବତୀର ସୁଷୁପ୍ତି ଭଙ୍ଗ ହେଲା ଦେଖେ ପାଶେ ନାହିଁ ନାଗର !,

ରସନିଧାନୀ, ଖୋଜେ ହୋଇ ଆତୁର,

ରସିକଶେଖର ହା ହା ପ୍ରାଣେଶ୍ୱର ବୋଲି ମୁଞ୍ଚିଲା ନେତ୍ରୁ ନୀର

ରମଣୀ ପୁଣି ଉଚ୍ଚେ କାନ୍ଦି ବୋଲଇ ବଡ଼ ନିଷ୍ଠୁର କୁଶଧର,

ରଙ୍କହାତେ ପଡ଼ିଥିଲା କୋଟିନିଧି ତତକ୍ଷଣେ କଲା ଅନ୍ତର

ରହିଥିଲା ଯେ, ଚିରକାଳର କ୍ଷୁଧାତୁର;

ରଭସ ସୁଧା ପରଶି ଦେଇ ତାକୁ ଖାଉଁ ପକାଇଲା ଭିଦୁର ।

ରମଣେ ଯେମନ୍ତେ ଭିଡ଼ି ଧରିଥିଲେ ମୋର ବୁଦ୍ଧି ହେଲା ଗୁଆଁର

ରଖିଥିଲେ ଭୁଜପାଶେ ବାନ୍ଧିକରି

କେମନ୍ତେ ହୁଅନ୍ତେ ଅନ୍ତର ।

ରସନିଧିର, ଶୁଣନ୍ତେ ବିଳପିତ ଗୀର,

ରହିଥିଲା ପାଶେ ସଚିବ-ନନ୍ଦିନୀ ବୋଇଲା ଏ କି ଚମତ୍କାର ।

ରଙ୍ଗିମାଧରିରେ ନିରୋଧ ମନ୍ଦିରେ

କାହିଁ ପାଇଲୁ ଜୀବେଶ୍ୱର

ରହିଛନ୍ତି ପାଶେ ପ୍ରହରୀମାନେ ତ ସେ ଜାଣିଲେ ହେବ ଅସାର ।

ରକ୍ଷରାଜରେ, ଜଣାଇବେ ଯେବେ ସତ୍ୱର,

ରଖିବ କି ଆମ୍ଭ ପରାଣ ତୋହର

ତାତ ଶୁଣିଲେ ଏ ବେଭାର ।

ରତ୍ନନିଧି-ଦୃଶି, ସ୍ୱପନ ହେଲା କି କାହିଁକି ହୋଇଲୁ ଅଧୀର,

ରହସ୍ୟରେ ବନ୍ଧୁ ତୋତେ ପଚାରୁଛି ଆଶୁ କହ ସତ୍ୟ ଉତ୍ତର ।’’

ରସନିଧିର, ତନୁ କମ୍ପଇ ଥରଥର,

ରୟ ସେ ସଜନୀ ଆଗରେ ସ୍ୱପନ କଥା କରିଦେଲା ପ୍ରଚାର

ରଚିଲା ସେ ଭାଷ, ‘‘ଶୁଣ ରେ ବାଳୀଶ ହେଲୁ କି ବାଳିଶ ପ୍ରକାର,

ରଜ -ସାରଥିକୁ ପାଶେ ବାନ୍ଧିବାକୁ କରିଅଛୁ କି ତୁ ବିଚାର,

ରଜନୀକର, ଧରିବୁ କି ଆଣି ସ୍ୱକର

ରଖିଛୁ ବିଶ୍ୱାସ ସ୍ୱପନ-କଥାକୁ ସେ ସବୁ ଅଳୀକ ମାତର ।

ରଙ୍କୁ ମରୀଚିକା ଆଶା କଲାପରି

ବିଅର୍ଥେ ନ ହୁଅ ଆତୁର’’

ରସିକା ବୋଇଲା, ‘‘ଏମନ୍ତ ହୋଇଲେ ଦିଶୁନାହିଁ ତ ଉପଚାର,

ରବିକୁମାର-ପୁର ଯିବ ଜୀବ ନିକର,

ରସିକ ରତନ ବିରହେ ଆଉ ରହିବ କି ଲବ ମାତର ।’’

ରକ୍ଷରାଜ-ସୁତା ଏମନ୍ତ କହନ୍ତେ ଚିତ୍ରଲେଖା କରେ ଉତ୍ତର,

‘‘ରଙ୍ଗେ ମୁଁ ଜାଣଇ ସିଦ୍ଧ ବିଦ୍ୟା ଲବେ ବୁଲିପାରଇ ତିନିପୁର ।

ରସନିଧିରେ,ରହ ତୁ ନ ହୁଅ ଆତୁର,

ରଙ୍ଗଜୀବ ପରି ଲେଖୁଛି କହିବୁ ଆଣିଦେବି କେଉଁ ନାଗର ।

ରଙ୍ଗେ ଲେଖିଲା ଅମରପୁରବାସୀ ମଘବାଦି ଦେବ କିନ୍ନର

ରବିତଳେ ଯେତେ ମହୀପତି ଥିଲେ, ତାଙ୍କୁ ଲେଖିଦେଲା ସତ୍ୱର ।

ରସନିଧିର, କେହି ନ ହେଲେ ଚିତ୍ତହର,

ରତ୍ନମୁଖ୍ୟ ହରାଇଲା ଲୋକ କାହିଁ ବୋଧ ହେବ ପାଇ ପଥର !

ରକ୍ଷମନ୍ତ୍ରୀ- ସୁତା ତଦନ୍ତେ ଲେଖିଲା, ବାସୁଦେବ ନନ୍ଦନକୁମର,

ରଖିଲା ତହିଁ ନିକଟରେ ଜଗତ-ବିଜୟୀ ମନମଥ ବୀର ।

ରସନିଧାନୀ, ଚାହିଁ ହୋଇଲା ଲଜ୍ଜାଭର

ରତନ-ବତୀ କି ବଦନ ନିବେଶି ଜବେ ଆଚ୍ଛାଦିଲା ଅମ୍ବର ।

 

ରଜନୀପତି ଉଦୟ ହୋଇଥିଲା ଘୋଡ଼ାଇଲା କି ଜଳଧର,

ରଜନୀଚର-ସୁଚିବସୁତା ଚାହିଁ କାର୍ଯ୍ୟ ହେବ କରି ବିଚାରି

ରତିକୁମର, ସୁନ୍ଦର ଅନିରୁଦ୍ଧ ବୀର,

ରଚି ଦେଲା ତାଙ୍କ ପ୍ରତିରୂପ କରି

ମର୍କତଜିତ କଳେବର ।

ରସିକା ଚାହିଁ ସେ ନବକିଶୋରଙ୍କୁ ମାନସେ କଲା ନମସ୍କାର

ରଜସାନୁଦୟ ଚାତକ ଚାହିଁଲା ପଦ୍ମ ଚାହିଁଲା କି ଭାସ୍କର

ରସ-ଉଦୟା, ଚିତ୍ରଲେଖାକୁ କହେ ଗୀର,

ରସିକ-କୁଳ ମୁକୁଟମଣି ଏହି କେବଳ ମୋର ଚିତ୍ତ-ଚୋର ।

ରମ୍ୟ ଛବିକି ପୁନଃ ପୁନଃ ଅନାଇଁ ନୟନୁ ବହେ ପ୍ରେମନୀର

ରଜନୀକର ମଣି ଯଥା ଉଦୟ ଚାହିଁଲେ ରଜନୀପତିର,

ରତି-ରମଣ ଯ, ବିନ୍ଧିଲା ତୀକ୍ଷ୍‌ଣ ମୁନ ଶର,

‘ରକ୍ଷାକର’ ବୋଲି ସଖୀକି କହିଲା, କମ୍ପିତ ହେଲା କଳେବର ।

ରସାଇ ସେ ପୁଣି ବୋଇଲା ‘‘ରେ ଧନି ! ଭାସୁଅଛୁ କାମସାଗର,

ରହିଥାଉଁ ତୋର ଉରଜ-ଉଡ଼ୁପ ତହିଁକି ଅଛି କେଉଁ ଡର      

ରସନିଧିରେ, ଆଣି ଯାଉଛି କର୍ଣ୍ଣଧାର

ରଜନୀ ନ ପାହୁଁ ଆଣଦେବି ତୋର

ଛାମୁକୁ ହୋଇବୁ ତୁ ପାର ।

 

 

ପଞ୍ଚମ ଛାନ୍ଦ

(ରାଗ-ବଙ୍ଗଳାଶ୍ରୀ)

 

ରକ୍ଷ ସୁତା ବିହି ଅମ୍ବର ଗତିକି

ଗମିଲା ଦ୍ୱାରକାପୁର,

ରଭସ ପ୍ରବେଶ ହେଲା ଯାଇ ଅନି-

ରୁଦ୍ଧ ଶୟନ –ମନ୍ଦିର ।

ରଦୀ-ରଦନ ପଲ୍ୟଙ୍କେ କୁମର

ଦିଶଇ ଅତି ସୁନ୍ଦର,

ରବିତଳେ ତାକୁ ଉପମା ଦେବାକୁ

ନୋହିବ ବାକ୍ୟ ବାହାର ।

ରଞ୍ଜନ ବାସବ ନୀଳମଣି କି ତା’

ରୁଚି କରଇ ଧିକ୍‌କାର,

ରତି- ମଦନର କୁମର ବୋଇଲେ

କଥା ହୋଇଗଲା ପାର ।

ରମଣୀୟ ଥାଏ ବଲ୍ଲରୀ ପାଦପ

କୁସୁମ ତହୁଁ ସୁନ୍ଦର,

ରସିକ ବୁଧଜନ ଗଣ ଏଥିକି

ସେହି ପ୍ରକାର ବିଚାର ।

ରମଣୀ ଧରିଣ ପଲଙ୍କ ସହିତ

ସେ ନବ କିଶୋର ବର,

ରଙ୍ଗେ ବିହାୟସେ ପଥେ ଉଡ଼ିଯାଇ

ପ୍ରବେଶ ସୁନ୍ଦରୀ ପୁର ।

ରଖି ଦେଲା ନେଇ କୁମାରୀ ନିକଟେ

ଚେତି ବସିଲା କୁମର,

ରହି ବିଚାରଇ କାହିଁ ମୁଁ ଅଇଲି

ଏହିଟି କାହା ମନ୍ଦିର ?

ରମଣୀମଣି ସେ କାହାର ନନ୍ଦିନୀ

ଲାବଣ୍ୟ ଅପଟାନ୍ତର,

ରହି ନ ଥିବେ ଏହା –ସମ ଯୁବତୀ

ଖୋଜିଲେ ଏ ତିନିପୁର ।

ରସାଣିଲା ହେମ ପରି ସଂହନନ

ନେତ୍ର ଶତଦଳାକାର,

ରଙ୍ଗିମାଧରକୁ ସମାନ ନ ହେବେ

ଅରୁଣ ବିମ୍ବ ମନ୍ଦାର ।

ରସନିଧି ଚାହିଁ ତରୁଣବରଙ୍କୁ

ଭାସେ ଆନନ୍ଦସାଗର

ରବି ଉଦୟ କି ଚାହିଁଲା ନଳିନୀ

ଶିଖୀ ଦେଖିଲା ମୁଦିର ।

ରହିଲା ସଲ୍ଲଜେ ମନ୍ଦ ମନ୍ଦ ହସି

ଅଧୋମୁଖୀ ବାମାବର,

ରଜନୀକର- ମଣ୍ଡଳରୁ ଖସି କି

ପଡ଼ଇ ଅମୃତଧାର ।

ରସିକ ମୁଖକୁ କଟାକ୍ଷେ ଅନାଇଁ

କଣ୍ଟକିତ କଳେବର,

ରତ୍ନନିଧି- ଦୃଶୀ ଭାବକୁ ଅନାଇଁ

ନାଗର କାମେ କାତର ।

ରସିକା ରସିକ ମାନସକୁ ବୁଝି

ସଚିବସୁତା ଅନ୍ତର,

‘‘ରଙ୍ଗେ ଭୋଗକର ନାଗର ହେ’’-ବୋଲେ

କବାଟ କିଳି ସତ୍ୱର ।

ରତିସୁତ ଆଣି ଶିରୀଷ –ଦେହୀକୁ

ବସାଇ ଜାନୁ ଉପର,

ରଚି ଚାଟୁବାଣୀ ହେମରୁଚି –ଗଣ୍ଡେ

ବିହିଲା ଚୁମ୍ବନ ସାର ।

ରଦ-ଛଦରୁ ଅମୃତ ପାନ କରି

ଚାଳିଦେଲା ସୁଧାକରା,

ରମଣୀ ସେ ନବ ଯଉବନବତୀ

ଧୀରା ହୋଇଲା ଅଧୀର ।

ରହି ଚନ୍ଦ୍ରାତପ ଉପରେ       ପୁଷ୍ପିତ

ମାଳ ମାଳ ପୁଷ୍ପ ହାର,

ରଞ୍ଜିତ ହୋଇଛି କନକ ପ୍ରଦୀପ

ଉଦିତ କି ଦିବାକର ।

ରତ୍ନମୟ ଆସ୍ତ- ରଣ ପଡ଼ି ତଳ-

ଭାଗ ଅତି ମନୋହର,

ରଦୀ-ରଦନ ପଲ୍ୟଙ୍କ ତହିଁ ଥାଇ

ନାନ କୁସୁମେ ରୁଚିର ।

ରସିକା ରସିକ ମଦନବାଣରେ

ହୋଇଣ ଅତି ଆତୁର,

ରଚିଲେ ସେ ଦିବ୍ୟ ପଲ୍ୟଙ୍କ ଉପରେ

ନାନରଙ୍ଗେ ରତିସାର ।

ରଜନୀ ସାରିଲେ ବିବିଧ କେଳିରେ

ଅସ୍ତଗତ କଳାକାର,

ରଚିଲା କୁକ୍‌କୁଟ ହଲାଇ ମୁକୁଟ

ଉଦିତ ହେଲା ଭାସ୍କର ।

ରହି ଗୋପନରେ ରମାମଣି ପୁରେ

କାଳ ହରିଲେ କୁମାର,

ରସ-କଉତୁକେ ବିବିଧ କେଳିରେ

ବିଳସି ବାମା ସଙ୍ଗର ।

ରଙ୍ଗେ କେତେ ଦିନ ଅତୀତ ହୁଅନ୍ତେ

ହୋଇଗଲା ପରଚାର,

ରମଣୀର କାମ- କେଳି ଚିହ୍ନ ଚାହିଁ

ଭୀତ ପ୍ରହରୀ ନିକର ।

ରାଜାର ଆଗରେ ଶୁଣାଇ ଦେଲେ ସେ

‘ଶୁଣିମାରକ୍ଷଈଶ୍ୱର’

ରହିଅଛୁଁ ଆମ୍ଭେ ରାଜ ଦୁହିତାଙ୍କୁ

ଜଗି ରଜନୀ ବାସର ।

ରହସ୍ୟେ କେ ଆସି ଜେମାରେ ବିଳସେ।

ଦେଖିଲୁ ଚିହ୍ନନିକର,

ରଖିଲା କେ କର ବିଷଧର ମୁଖେ

ଦେଖି ତାକୁ ଦଣ୍ଡ କର ।

ରକ୍ଷ ନୃପତିର ସ୍ୱଭାବ ଅଟିଇ

ପ୍ରଚଣ୍ଡ ବୈଶ୍ୱାନର,

ରକ୍ଷକମାନଙ୍କ ବାଣୀ ହେଲା ତହିଁ

ହବିର୍ଦାନ ପରକାର ।

ରହି ନ ପାରି ସେ ଅପମାନ ସହି

ଗମିଲଏା କୁମାରୀପୁର,

ରଙ୍ଗେ ଅକ୍ଷେ ରତି ତରୁଣୀ ତରୁଣ

ଦେଖି ହେଲା ଚମତ୍କାର ।

ରଦନ କାମୋଡ଼ି ଗରଜି ବୋଇଲା

ଆରେ ରେ ଦୁଷ୍ଟ ପାମର,

ରଙ୍କୁ ଛାର ହୋଇ କେଶରୀ ମନ୍ଦିରେ

ନୃତ୍ୟ ତ ହେଲା ତୋହର ।

ରଖୁ ରଖୁ ତୋର ଇଷ୍ଟଦେବ ସ୍ମର

ବୋଲି କୋପେ ଥର ଥର,

ରଭସ ବେଢ଼ାଇ ଦେଲା ଚାରିଦିଗେ

ଅସୁର ବଳ ଅପାର ।

ରଙ୍ଗେ ସେ କୁମାର ଉଭା ହେଲା ଆସି

କୁମାରୀ ମନ୍ଦିର ଦ୍ୱାର,

ରକ୍ଷସେନା ପରେ ପରିଘ ପ୍ରହାରି

କରିଦେଲା ଛାରଖାର ।

ରଣ- ବିଶାରଦ କୁମାରଙ୍କୁ ଚାହିଁ

କୁପିତ ବଳିକୁମର,

ରଖିଲା ନାଗ- ପାଶରେ ବନ୍ଦୀକରି

ବାମ ତାକୁ କୁଶଧର ।

 

 

ଷଷ୍ଠ ଛାନ୍ଦ

(ରାଗ –କଳହଂସକେଦାର)

 

ରମଣ ନାଗପାଶେ ବନ୍ଦୀ ହେବାର,

ରସିକା ଚାହିଁ କାନ୍ଦେ ହୋଇ ଆତୁର,

ରସିକ ବର ଆହା ପ୍ରାଣ- ଈଶ୍ୱର,

ରହିଲ ବନ୍ଦୀ ହୋଇ ଦୈତମନ୍ଦିର ହେ      

ରଜନୀକରକଳା କୋମଳତର,

ରମଣୀୟ ଶ୍ରଅଙ୍ଗ କି ସୁକୁମାର,

ରଥାଙ୍ଗପାଣି ପିତାମହ ଯାହାର,

ରହିଲେ ବନ୍ଦୀ ହୋଇ ସେହି ସୁନ୍ଦର ହେ ।

ରହି ମୋ ସ୍ନେହେ ଦୁଃଖ ହେଲା ତୁମ୍ଭର,

ରଖିବି ନାହିଁ ପ୍ରାଣ ଜାଣ ନିକର,

ରସାମଣ୍ଡନ ନାଥ ମାରକୁମାର

ରଖାଇଲା ଏ ଦୁଃଖ ଯୁବତୀ ଛାର ହେ ।

ରଖି ନଳିନୀ ଠାରେ ପ୍ରୀତି ଅପାର

ରଜନୀ ହେଲେ ଯଥା ବନ୍ଦୀ ଭ୍ରମର

ରଖନ୍ତୁ ଦୀନବନ୍ଧୁ କରି ଉଦ୍ଧାର

ରଚିଲା ବିନୟରେ ସ୍ତୁତି ଅପାର ହେ ।

ରଜୀନଚରକୁଳ ଗରବହର,

ରହେ ବିନତା-ସୁତ ଆଗେ ତୁମର,

ରକ୍ଷକ ଅରକ୍ଷର କୃପାସାଗର

ରକ୍ଷକ ହୁଅ ବାରେ ପ୍ରାଣନାଥର ହେ ।

ରମଣ-ଦୁଃଖେ ଦୁଃଖୀ ରମଣୀବର

ରହିତ ମୁଦେ ନେଲା ନିଶା-ବାସର

ରଜନୀ ଶେଷ ଏଣେ ଦ୍ୱାରକାପୁର

ରବି ଉଦିତ ବିନାଶିତ ତିମିର ଯେ ।

ରଥଚରଣପାଣି ମଦନ ବୀର

ରତି ରୁକ୍ମିଣୀ ଆଦି ଉଠି ସତ୍ୱର,

ରଙ୍ଗେ ଦେଖିଲେ ଅନିରୁଦ୍ଧ କୁମର,

ରହିତ ହୋଇଅଛି ଦ୍ୱାରକାପୁର ଯେ ।

ରଣବାସରେ ଶୁଣି ନାୟିକାବାର

ରଡ଼ି ଛାଡ଼ିଲେ ବୋଲି ଆହା କୁମର,

ରତି ପରିବେଦନ ହେଲା ଅସର

ରହିଲେ ଦୁଃଖେ ମଜ୍ଜି ନିଶାବାସର ଯେ ।

ରସ ଘଟନ କେତେ କାଳ ଅନ୍ତର,

ରଙ୍ଗେ ଦ୍ୱାରକାଗତ ବିଧି-କୁମର,

ରଚିଲେ ବାଣୀ ଶୁଣ ସାରଙ୍ଗଧର

ରହିଲେ ଅନିରୁଦ୍ଧ ବାଣ-ମନ୍ଦିର ସେ ।

ରଖିଛି ନାଗପାଶେ ବାନ୍ଧି ଅସୁର

ରହିଛି ସୁଖେ ତୁମ୍ଭେ ଆପଣା ଘର,

ରଙ୍ଗ ନୟନ ଶୁଣି ନନ୍ଦକଧର,

ରଚିଲେ ଆଜ୍ଞା ସୈନ୍ୟ ସାଜ ସତ୍ୱର ଯେ ।

ରଙ୍କୁ ରାଜଶବକୁ ବଞ୍ଚକ ଛାର

ରଖିଛି ବନ୍ଦୀରେ କି ସାହସ ତାର,

ରମାଧବ ଅଗ୍ରଜ ଶୁଣି ଏ ଗିର

ରଦ କାମୋଡ଼ି ଦେଲେ ନିଶରେ କର ହେ ।

ରତୀଶ ଶାମ୍ବ ଗକ ସାତ୍ୟକି ବୀର

ରଭସ ଧନୁ ଧରି ହେଲେ ବାହାର,

ରଜା ତ ଉଗ୍ରସେନ କଂସ -ପିଅର

ରଚିଲେ ଆଜ୍ଞା ବେଗ କର ସମର ହେ ।

ରଥୀ ପଦାତି ଆଜି ସେନା ଅପାର

ରସା କମ୍ପାଇ ଗତି କଲେ ପ୍ରଖର,

ରଥାଙ୍ଗ-ପାଣି ଘେନି ଅସଂଖ୍ୟ ବୀର

ରକତପୁରେ ଉପନୀତ ସତ୍ୱର ଯେ ।

ରଥ ପତାକା ତେଣେ ବଳି ସୁତର

ରସାରେ ପଡ଼ିଗଲା ଛିଡ଼ି ସତ୍ୱର,

ରକ୍ଷ ନୃପତି ଚାହିଁ ହେଲା କାତର

ରସନାୟକ ଆଗେ କଲା ଗୋଚର ଯେ ।

ରଖ ଭୋ ନାଥ, ମୁଁ ତ ଦାସ ତୁମ୍ଭର

ରଣକୁ ଆସିଛନ୍ତି ନନ୍ଦକୁମର,

ରଜନୀର ଛଳେ ଆସିଲେ ହର

ରଖି ସଙ୍ଗତେ ନିଜ ଦଳ ଅପାର ଯେ ।

ରଦୀବଦନ ପୁଣି ଷାଣମାତୁର

ରଣ କରିବା ପାଇଁ ହେଲେ ବାହାର

ରକ୍ଷ ସୈନ୍ୟ ସାଜିଲା ବଳିକୁମର

ରଚନା କରି ନୁହେ ଅମିତ ବୀର ଯେ      

ରହିଲେ ସର୍ବେ ଆସି ଶୋଣିତପୁର

ରଚିବା ପାଇଁ ଘୋରତର ସମର,

ରସା କମ୍ପିଲା ପଦଭରେ ତାଙ୍କର

ରଜରାଶିରେ ହେଲା ନଭ ଅନ୍ଧାର ଯେ ।

 

 

ସପ୍ତମ ଛାନ୍ଦ

(ରାଗ-ପାହାଡ଼ିଆ କେଦାର)

ରଚିଲେ ରଣ ଅତି ଭୀଷଣ

ହର ସହିତ କଂସ-ଦୂଷଣ

କୁଭାଣ୍ଡ ସଙ୍ଗେ ଶଙ୍କରଷଣ ଘୋର ସମର ।

ରଙ୍ଗରେ ହେଲା ବାର ବର୍ଷଣ

ସାତ୍ୟକି ସଙ୍ଗେ ଯୁଝିଲା ବାଣ

ଗରଜି କହେ ବଚନ ଟାଣ ରାକ୍ଷସ ବୀର ।

ରତି-ନାୟକ ସଙ୍ଗେ ଶକତିଧର,

ରଚିଲେ ମହା ଯୁଦ୍ଧ ଦିଗ-ଅନ୍ଧାର ।

ରଥୀ ସହିତେ ଯୁଝିଲେ ରଥୀ

ପଦାତିପନ୍ତି ସଙ୍ଗେ ପଦାତି

ତୁରଙ୍ଗ-ପତି- ତୁରଙ୍ଗ-ପତି ରଣ ଅପାର ଯେ ।

ରଡି କେ ଛାଡ଼ି ଆସେ ଦଉଡ଼ି

ମୁଣ୍ଡରେ ମୁଣ୍ଡ କେହି କଚାଡ଼ି

କେ ଗଡ଼ାଗଡ଼ି ଭୂମିରେ ପଡ଼ି ଧୂଳି ଧୂସର ।

ରଦ କାମୋଡ଼ି କେ ନିଶ ମୋଡ଼ି

ରିପୁ ଉପରେ ପଡ଼ଇ ମାଡ଼ି

କେ ତଡ଼ାତଡ଼ି କେହୁ ଘଉଡ଼ି ବୋଲେ ମୁଁ ବୀର ।

ରଣଭୂମି ଦିଶିଲା କି ଭୟଙ୍କର,

ରକ୍ଷ ପିଶାଚ ଭୂତ ନର ସମର;

ରଙ୍ଗେ କେ ଦାଢ଼ି ନିଏ ଉପାଡ଼ି

କା ମୁଣ୍ଡ ଛିଡ଼ି ପଡ଼ଇ ଝଡ଼ି

ଚଳନ୍ତି ବାଣ ଧାଡ଼ିକି ଧାଡ଼ି ବିଷଧର ଯେ ।

ରଦନ କରେ କେ କଟମଟ

ଜିଭ ଲମ୍ବାଇ କେବା ଉତ୍କଟ

କାହା ବଦନ ଅତି ବିକଟ ଏକୁଁ ଅସୁର,

ରଥୀ କେ କରି ବଳ ପ୍ରକଟ

ବିନ୍ଧଇ ବାଣ ହୋଇ ମୁରାଟ

କେ କରେ ଭେଟ ପରେ ତରାଟ ପୁର ସତ୍ୱର;

ରଙ୍ଗ ନୟନେ କେହୁ କରେ ହୁଙ୍କାର

ରସା କମ୍ପିଲା ପାଇ ଶମନଭାର,

ରହେ କା ଜୀବ କଣ୍ଠ ନିକଟ

କେହୁ ବୋଇଲା ହେଲା ସଙ୍କଟ

କାହିଁ କରନ୍ତି କବନ୍ଧ ନାଟ ବହେ ରୁଧିର ଯେ ।

ରଥାଙ୍ଗଧର ଉପରେ ଶର

ବରଷାଧାର ପରାୟେ ହର

ବିନ୍ଧନ୍ତେ ଛେଦିଦେଲେ ସତ୍ୱର ସାରଙ୍ଗଧର;

ରଣେ କୁପିତ ହୋଇ ଈଶ୍ୱର

ପେଷିଲେ ପାଶୁପତ ପ୍ରଖର

ଚକ୍ର ପ୍ରହାରେ ମୁରଲୀଧର କଲେ ନିବାର;

, ରମା ରମଣ ହୋଇ କ୍ରୋଧ ଜର୍ଜର

ରଭସ ନିକ୍ଷେପିଲେ ମୋହନ ଶର,

ରଙ୍ଗେ ପ୍ରଚଣ୍ଡ ଆଶୁଗ -ବର

ପଡ଼ିଲା ଶୂଳଧର ଉପର

ମୋହେ ବୃକ୍ଷରୁ ପଡ଼ିଲେ ହର କ୍ଷିତି ଉପର ଯେ ।

ରଣ ଲାଗିଲା ପ୍ରଳମ୍ବପର

ସଙ୍ଗେ ସଚିବ କୁଭାଣ୍ଡ ବୀର

ପଳାଏ ପାଇ ଅତି ପ୍ରଖର ଗଦା ପ୍ରହାର,

ରତି-ପତିର ସଙ୍ଗେ କୁମାର

କରିଣ ଅତି ଘୋର ସମର

ଦୁଃସହ ବାଣେ ହୋଇ କାତର ହେଲେ ଅନ୍ତର,

ରକ୍ଷ ନାୟକ ସଙ୍ଗେ ସାତ୍ୟକି ବୀର,

ରଣ କରନ୍ତି ବିନ୍ଧି ବିବିଧ ଶର;

ରଥାଙ୍ଗ-ଧର ଯାଇ ସତ୍ୱର

ନାଶିଲେ ରକ୍ଷ-ଦଳ ନିକର

ବିଧୁ ସହିତ ଆସି ଅସୁର କଳା ସମର ଯେ ।

ରଥ ସହିତ ସାରଥି ତାର

ବିଧି ବାଜୀରେ ହୋଇଲେ ଚୂର

ବିରଥୀ ହୋଇ ରଜନୀଚର ଗର୍ଜ୍ଜିଲା ଘୋର,

ରହି ଭବନେ ଜନନୀ ତାର

ଜାଣିଲା ପଦଗାମୀ କୁମର

ଧାଇଁଲା ସିଦ୍ଧ ଯୋଗିନୀ ବର ହୋଇ ଆତୁର

ରହିତ ବାସ ଅଙ୍ଗେ କୃଷ୍ଣ ଆଗର

ରହିଲା ମୁକୁଳାଇ କୁଚକୁ ତାର;

ରଖିଲେ ଦୃଷ୍ଟି ଧରଣୀତଳ

ତାକୁ ନ ଚାହିଁ ହରିତାମ୍ବର

ପଳାଏ ପାଇ ଏ ଅବସର ବାଣ ଅସୁର ଯେ ।

ରଥୀ ହୋଇ ସେ ଆସିଲା ଜବ

ମୋହ ଛାଡ଼ିଲ ଅମ୍ବିକାଧବ

ଦୁହେଁ ଯୁଝିଲେ କୋପେ ମାଧବ ସଙ୍ଗେ ଅପାର,

ରଟନ୍ତି ବୋଲି ଆରେ ଗଉଡ଼

ଆଜି ପରାଣ ଆଶକୁ ଛାଡ଼

ନିଶ୍ଚୟ ତୋର ଭାଙ୍ଗିବୁଁ ହାଡ଼ ବାହୁଡ଼ ଘର

ରଜତ ଗିରି ପତି ପେଷିଲେ ଜ୍ୟର,

ରଡ଼ି ଦେଇ ଧାଇଁଲା ଆଶୁ ତ୍ରିଶିର,

ରମାବିଳାସୀ ହୋଇଣ ରୋଷୀ

ଦେଲେ ଆପଣା ଶ୍ୟରକୁ ପେଷି

ଚଳିଲା ତେଜ ରାଶି ପ୍ରକାଶି ଅତି ପ୍ରଖର ଯେ ।

ରତୀଶ-ଦ୍ୱିଷ ଶ୍ୟର ବହନ

ହାରିଣ ତହୁଁ ପଳାଏ ଘନ

ଜଣ ଜଣକେ ପଶେ ଶରଣ କ୍ଷମ କାହାର

ରଖିବ ହରି –ବିଦ୍ରୋହୀ-ଜନ

ତିନି ଭୁବନେ କେ ମହାଜନ,

ଚାହିଁ ସେ ନିଜ ଭୀଷଣ ହେଲା କାତର

ରଙ୍ଗ ନୟନେ ପଛେ ପଛେ ତାହାର

ରହିଅଛି ଗୋଡ଼ାଇ ଶ୍ରୀପତି ଶ୍ୟର,

ରଖ ମୋ ପ୍ରାଣ ନନ୍ଦନନ୍ଦନ,

ବୋଲି ଶରଣ ଗଲା ଚରଣ-

ତଳେ, ବିବିଧ ସ୍ତୁତି ବଚନ କଲା ତ୍ରିଶିର ଯେ ।

ରକ୍ଷକ ଯେହୁ ଶରଣାଗତ-

ଜନମାନଙ୍କ ଦରିଦ୍ର ମିତ

ରଖିଲେ ତାକୁ କୃପାସରିତ ପତି ଠାକୁର,

ରଣେ କୁପିତ କମଳ ହାତ

ସୁଦରଶନ ପେଷି ତ୍ୱରିତ

ଛେଦିଲେ ପଞ୍ଚ ଦ୍ୱିଗୁଣଶତ ହାତ ବାଣର,

ରସାରୁହରୁ ଯଥା ପଡ଼େ ପତର

ରଙ୍ଗେ ପଡ଼ିଲେ ତାର କର ନିକର,

ରକ୍ଷ ପତିର ଦୁର୍ଦ୍ଦଶା ଚାହିଁ

ବୋଇଲେ ଶିବ ହେ ଭାବଗ୍ରାହୀ

ବାରକେ ମୋର ସେବକ ତ୍ରାହି ଆପଣ କର ଯେ ।

ରଖି ନ ପାରେ ତୋହର ଦ୍ରୋଦୀ

ତୁ ନାଥ ଅଟୁ ଭକତ ସ୍ନେହୀ

ରଖ ଏ ଦୀନେ ଜୀବନ ଦେଇ କରୁଣାକର,

ରକ୍ଷା ଉତ୍ପତ୍ତି ନାଶ କାରକ

ତୁ ଏକା ପ୍ରାଣୀ ଅଘହାରକ

ଆମ୍ଭେ ତୋହର ପରିଚାରକ ଅନାଦୀଶ୍ୱର,

ରତୀଶ-ତାତ-ତୋଷେ ବାକ୍ୟେ ତାଙ୍କର,

ରଖିଲୁଁ ବୋଲି ବିହି ଦେଲେ ଉତ୍ତର,

ରକ୍ଷ –କୁଳଜ ପ୍ରହ୍ଲାଦ ବୀର

ସେ ମୋର ଭକ୍ତ ଦେଇଛି ବର

ନାଶିବି ନାହିଁ ତା ବଂଶଧର ସତ୍ୟ ମୋହର ଯେ

ରସାଧରଜା-ରମଣ ଶୁଣି

ସନ୍ତୋଷ ହେଲେ ଡମ୍ବୁରପାଣି

ବାଣ ବନ୍ଦିଲା କୌସ୍ତୁଭ –ମଣି-ଧର ପୟର,

ରଭସ ଯାଇ ନାଗ ଫିଟାଇ

ମାର କୁମାରେ ହୋଇ ବିନୟୀ

ସୁତାକୁ ବିଭୂଷିତା କରାଇ ରାକ୍ଷସ ବୀର,

ରମେଶ ପାଶେ ଦେଲା କରାଇ ରାକ୍ଷସ ବୀର,

ରମେଶ ପାଶେ ଦେଲା କନ୍ୟା କୁମାର,

ରାହିଥିଲା ଯୋଡ଼ିଲା ଦୁଇଟି କର,

ରଚିଲା ସ୍ତବ, ଶୁଣି ମାଧବ

ଆବର ତହିଁ ରେବତୀ-ଧବ

ସାତ୍ୟକି ଆଦି ମାର ଯାଦବ ପ୍ରମୋଦ ଭର ଯେ ।

ରସନାୟକ ହୋଇ ମେଲାଣି

ସଙ୍ଗରେ ଘେନି ନିଜ ବାହିନୀ

ଗଜବଦନ ସହ ସେନାନୀ ଗତ ସ୍ୱପୁର,

ରଣେ ଶ୍ରୀହରି ବିଜୟ କରି

ବିଜୟ ପାଇଁ ଦ୍ୱାରକାପୁରୀ

ଉଷାନିରୁଦ୍ଧ ସଙ୍ଗତେ ଧରି ହେଲେ ବାହାର ।

ରହିଲା ବଳିସୁତ ନିଜ ମନ୍ଦିର,

ରହିତ କରି ବାହୁ ବାହୁଲ୍ୟ ଭାର,

ରଚିଲା ଗୀତ ରାମ ବିମଳ-

ଶ୍ରୀଶତଦଳ-ପଦ-ଯୁଗଳ-

ତଳରେ କରି ମତି ନିଶ୍ଚଳ ଦୀନ ପାମର ଯେ ।

 

 

 

ଅଷ୍ଟମ ଛାନ୍ଦ

(ରାଗ-ଶଙ୍କରାଭରଣ)

 

ରଙ୍ଗେ ବିଜେ କଲ ହରି ଦ୍ୱାରାବତୀ ପୁର,

ରଥରେ ବସାଇ ସଙ୍ଗେ ଘେନି କନ୍ୟା ବର,

ରଥୀ ପଦାତି ଅପାର

ରଦୀ ତୁରଗ ଚହଳେ ଧରା ଥର ଥର

ରଜ ରାଶି ଉଡ଼ି ଦିଗ ଦିଶିଲା ଅନ୍ଧାର,

ରଥ ଗରଜନ ଘନ ଘୋଷ ପରକାର,

ରଥ୍ୟା କରିଣ ସୁନ୍ଦର

ରଭସ ପ୍ରବେଶ ହେଲେ ଆପଣା ନଗର ।

ରତ୍ନାକର ତୀର ପୁର- ବାସୀ ଯେତେ ନର,

ରମଣୀ ଅର୍ଭକ ସର୍ବେ ହୋଇଲେ ବାହାର,

ରମଣୀୟ କନ୍ୟା ବର,

ରଙ୍ଗେ ଦର୍ଶନ-ଲାଳସେ ହୋଇ ତରତର ।

ରମଣୀ କେ ଲଗାଇଲା କରରେ ନୂପୁର,

ରଞ୍ଜିଲା କଜ୍ଜ୍ୱଳ ଭ୍ରମେ ନୟନେ ସିନ୍ଦୂର,

ରଙ୍ଗାଧରୀ ରାମାବର

ରଙ୍ଗେ କେ ଘେନିଲା କବିତଟେ ମୋତିହାର ।

ରସନା କେ ଲମ୍ବାଇଲା ହୃଦୟ ଉପର,

ରମ୍ଭୋରୁ ମୁକୁଳ କଚେ ଧାଇଁଲା ସତ୍ୱର,

ରଖି କେ ନିଜ ବ୍ୟାପାର

ରୟ ଦଉଡ଼ନ୍ତେ ହେଲେ ଦୀର୍ଘ ପୟୋଧର ।

ରଟନ୍ତି ଦେଖିଣ ବର କନ୍ୟା ରୂପସାର,

ରମଣକୁ ରମଣୀ ଏ ହୋଇଲା ରୁଚିର

ରଖିଥିଲା କୁଶଧର ରମ୍ୟ ଉପବନେ କଦା

ରସିକା ରସିକ ବାଛି ସଂସାର ଭିତର ।

ରସଧରେ ସୌଦାମିନୀ ଯଥା ଶୋଭାକର,

ରଞ୍ଜନୀୟ ଯଥା ନୀଳମଣି ଚାମୀକର

ରମ୍ୟବର ଯୋଷାବର,

ରଚିଲେ ତ ଆନେ ହେଉ ନାହିଁ ପଟାନ୍ତର ।

ରଥ ପରବେଶ ହେଲା ବିଧୁପୁର ଦ୍ୱାର,

ରମଣୀଏ ଆସି ଘେନି ଗଲେ କନ୍ୟା-ବର

ରତ୍ନମୟ ବେଦୀପର

ରଙ୍ଗେ ବସି ଶୋଭା ହେଲେ କୁମାରୀ କୁମାର ।

ରମଣୀ ପରାଏ ଦେବୀ ଅର୍ଘ୍ୟ ଉପହାର,

ରମା ମଦି ବିଧୁନାରୀ ହୋଇଲେ ବାହାର

ରସା କରିଣ ସୁନ୍ଦର

ରାଇବତ-ସୁତା ଆଦି ଯୁବତୀ ଅପାର

ରତି ଦେବୀହିଁ ଅଇଲେ ହୋଇ ଅର୍ଘ୍ୟକର,

ରଙ୍ଗେ ବନ୍ଦାପନା ବିଧି କଲେ ବଧୂ-ବର,

ରଚି ମଙ୍ଗଳ ଆଚାର,

ରସାସୁରମାନେ କଲେ ସକଳ ବେଭାର ।

ରମଣୀରତନ ଲଭି ମଦନ କୁମାର,

ରସ ଅହୋତ୍ସବେ ନେଲେ ଋତୁ ସମ୍ବତ୍ସର

ରମ୍ୟ ହରମ୍ୟ ଉପର,

ରସମୟ ସମୟରେ ବିଳସେ ଚତୁର ।

ରଜନୀଶ ରଜନୀରେ ବୋଳି ଗନ୍ଧସାର

ରସାଇ ବସାଇ ଅଙ୍କେ କୁଚେ ବୋଳେ ତାର

ରସେ ଭାଷେ ସୁମଧୁର

‘ରସିକାରେ ଶଙ୍କର ସେବୁଛି ଦେବେ ବର

ରଞ୍ଜିଦେବି କି ସଜନୀ ଅର୍ଦ୍ଧ-କଳାକାର’

‘ ରହନ୍ତି ସେ ବିଷ୍ଣୁପଦେ’ ବୋଲେ ରାମାବର,

ରସେ ଭାଷଇ ନାଗର,

‘ରଖିଛିଁ ଏଣୀନୟନୀ ମଣି ମୋର କର ।’

ରସାଳସୀ ବୋଲେ କି ‘ଆଶୁଗ ପାଶେ ଧର ’,

ରସିକ ବୋଲଇ ସେ ‘ତୁଣୀରେ ଅଛି ମୋର,

ରଣେ ବିନ୍ଧୁଁ ଧରି କର

ରଙ୍ଗେ ସେ ବୋଇଲା ‘ନାଥ ହେଲି ନିରୁତ୍ତ

ରମ୍ୟ ଉପବନେ କଦା କରନ୍ତି ବିହାର,

ରସିକା ରସିକ ଯଥା ଶଚୀ ପୁରନ୍ଦର,

ରବି ଛାୟା ପରକାର,

ରହି ନ ପାରନ୍ତି କ୍ଷଣେ ହୋଇଣ ଅନ୍ତର ।

 

***